ଦିଲ୍ଲୀ ପୁଲିସର ସହକାରୀ ପୁଲିସ କମିଶନର (ACP) ମାନସବୀ ବଶିଷ୍ଠଙ୍କୁ ପୁଲିସ ମୁଖ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ଅଭିଯୋଗରେ ସସ୍ପେଣ୍ଡ କରାଯାଇଛି। ଶାହଦରା ଥାନାର SHO ଅରୁଣ କୁମାର ୱେରେଙ୍କ ବଦଳିକୁ ବିରୋଧ କରି ମାନସବୀ ବଶିଷ୍ଠ ଓ କିଛି ପୁଲିସ କର୍ମଚାରୀ ପୁଲିସ ମୁଖ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ। ଏହା ପରେ ଗୃହ ମନ୍ତ୍ରାଳୟ (MHA) ତତ୍କାଳ ସସ୍ପେଣ୍ଡ ଆଦେଶ ଜାରି କରିଛି। ସସ୍ପେଣ୍ଡ ପରେ ମାନସବୀ ବଶିଷ୍ଠ କହିଛନ୍ତି ଯେ, ଏହି ପଦକ୍ଷେପ ତାଙ୍କ ମନୋବଳକୁ କୌଣସି ପ୍ରଭାବ ପକାଇବ ନାହିଁ ଏବଂ ବିଭାଗୀୟ ତଦନ୍ତ ନିଷ୍ପକ୍ଷ ଭାବେ ହେବ ବୋଲି ସେ ଆଶା ରଖିଛନ୍ତି। ସସ୍ପେଣ୍ଡ ଅବଧିରେ ସେ ଦିଲ୍ଲୀରେ ରହିବେ ଓ ସକ୍ଷମ କର୍ତ୍ତୃପକ୍ଷଙ୍କ ଅନୁମତି ବିନା ସହର ଛାଡ଼ିପାରିବେ ନାହିଁ। ଉଲ୍ଲେଖଯୋଗ୍ୟ ଯେ, ଅକ୍ଟୋବର ୨୩ରେ ଓକିଲ ଲଲିତ ବଂଶାଲଙ୍କୁ ମାଡ଼ ମାରାଯାଇଥିବା ଘଟଣାକୁ କେନ୍ଦ୍ର କରି ପୁଲିସ ଓ ଓକିଲମାନଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏହା ପରେ ଶାହଦରା SHOଙ୍କ ବଦଳି ହୋଇଥିଲା, ଯାହାକୁ ବିରୋଧ କରି ପୁଲିସ କର୍ମଚାରୀମାନେ ଆନ୍ଦୋଳନ କରିଥିଲେ।