ଓଡ଼ିଶା ଭିଜିଲାନ୍ସ କେନ୍ଦ୍ରାପଡ଼ା ଡ୍ରେନେଜ୍ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ଅନୁପମା ସାହୁଙ୍କୁ ଆୟବହିର୍ଭୂତ ସମ୍ପତ୍ତି ଠାବ ହେବା ଅଭିଯୋଗରେ ଗିରଫ କରିଛି। ଭିଜିଲାନ୍ସ ଅଧିକାରୀମାନେ ମାର୍ଶଘାଇ ଛକ ନିକଟରେ ତାଙ୍କୁ ଅଟକାଇ ଯାଞ୍ଚ କରିବାବେଳେ ୩.୧୫ ଲକ୍ଷ ଟଙ୍କା ନଗଦ ଜବତ କରିଥିଲେ। ସନ୍ତୋଷଜନକ ଉତ୍ତର ନମିଳିବାରୁ ତାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଥିଲା। ତଲାସି ସମୟରେ ଆଉ ୪ ଲକ୍ଷ ଟଙ୍କା ନଗଦ ମିଳିଥିବାବେଳେ ମୋଟ ନଗଦ ଜବତ ପରିମାଣ ୭.୧୫ ଲକ୍ଷ ଟଙ୍କାରେ ପହଞ୍ଚିଥିଲା। ଏଥିସହ ପ୍ରାୟ ୬୩ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ଭୁବନେଶ୍ୱରରେ ଏକ ଫ୍ଲାଟ, ଢେଙ୍କାନାଳରେ ବ୍ୟବସାୟିକ ସମ୍ପତ୍ତି, ବାଲେଶ୍ୱରରେ ଏକ ଦୋକାନ ଏବଂ ଭୁବନେଶ୍ୱର, ଅନୁଗୁଳ ଓ ଢେଙ୍କାନାଳରେ ଏକାଧିକ ପ୍ଲଟ ଚିହ୍ନଟ ହୋଇଛି। ଅନୁପମା ସାହୁଙ୍କୁ ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଥିବାବେଳେ ଘଟଣାର ତଦନ୍ତ ଜାରି ରହିଛି।