ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ସରକାରୀ ବନ୍ତଳା ନୋଡାଲ ୟୁପି ସ୍କୁଲରେ ଶିକ୍ଷକ ଅଭାବ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଗୁରୁତର ଭାବେ ପ୍ରଭାବିତ ହେଉଛି। ୧୯୭୨ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ପୂର୍ବରୁ ୫ ଜଣ ଶିକ୍ଷକ ଥିଲେ। କିନ୍ତୁ ସେପ୍ଟେମ୍ବର ମାସରେ ଦୁଇ ଜଣ ଶିକ୍ଷକଙ୍କ ବଦଳି ପରେ ଏବେ ମାତ୍ର ୩ ଜଣ ଶିକ୍ଷକ ୮୪ ଜଣ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ଦାୟିତ୍ୱ ନେଇଛନ୍ତି। ପ୍ରାକ୍-ପ୍ରାଥମିକରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୯ଟି ଶ୍ରେଣୀ ଥିବାବେଳେ ଅନେକ ଶ୍ରେଣୀକୁ ଏକାଠି କରି ପାଠଦାନ କରାଯାଉଛି। ଏକ କକ୍ଷରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀର ୨୫ ଛାତ୍ରଛାତ୍ରୀ ପଢ଼ୁଥିବାବେଳେ ଅନ୍ୟ ଏକ କକ୍ଷରେ ପଞ୍ଚମ ଓ ଷଷ୍ଠ ଶ୍ରେଣୀ, ତୃତୀୟ କକ୍ଷରେ ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଏହା ଯୋଗୁଁ ଗୁଣାତ୍ମକ ଶିକ୍ଷା ଓ ବ୍ୟକ୍ତିଗତ ଧ୍ୟାନ ଦେବାରେ ସମସ୍ୟା ହେଉଛି। ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ଶୀଘ୍ର ଦୁଇ ଜଣ ଅତିରିକ୍ତ ଶିକ୍ଷକ ନିଯୁକ୍ତି ଦାବି କରିଛନ୍ତି। ଶିକ୍ଷା ବିଭାଗ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଉଥିବା କହିଛି।