ଦୀର୍ଘ ଦଶକ ଧରି ଚାଲିଆସୁଥିବା କୋଟିଆ ସୀମା ବିବାଦ ପୁଣିଥରେ ଚର୍ଚ୍ଚାକୁ ଆସିଛି। ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଅଞ୍ଚଳର କିଛି ଗ୍ରାମରେ ନଭେମ୍ବର ୫ରେ ପଞ୍ଚାୟତ ନିର୍ବାଚନ କରାଇବା ପାଇଁ ବିଜ୍ଞପ୍ତି ଜାରି କରିବା ପରେ ଉଭୟ ରାଜ୍ୟ ମଧ୍ୟରେ ତନାତନି ବଢ଼ିଛି। କୋରାପୁଟ ଜିଲ୍ଲାର ନେରିଡିଭାଲାସା ଯାଞ୍ଚ ଚୌକି ନିକଟରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପୁଲିସ ମଧ୍ୟରେ ବାକ୍ବିତଣ୍ଡା ଓ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି। ଓଡ଼ିଶା ପୁଲିସ ଆନ୍ଧ୍ରପ୍ରଦେଶ ପୁଲିସକୁ କୋଟିଆ ଅଞ୍ଚଳକୁ ପ୍ରବେଶ କରିବାରୁ ଅଟକାଇଥିଲା। ଅନ୍ୟପଟେ, ଆନ୍ଧ୍ରପ୍ରଦେଶ ପୁଲିସ ଓଡ଼ିଶା ପ୍ରଶାସନ ସ୍ଥାପନ କରିଥିବା ବ୍ୟାରିକେଡ୍ ହଟାଇବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ କୋଟିଆରେ ୧୬ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି। ନେରିଡିଭାଲାସା, ତାଲାସେମ୍ବି ଓ ଫାତୁସେନେରୀ ଅଞ୍ଚଳରେ ତିନିଟି ପୁଲିସ ଚୌକି ସ୍ଥାପନ କରାଯାଇଛି। ୧୯୬୮ରୁ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ଏହି ବିବାଦକୁ ନେଇ ଅଞ୍ଚଳବାସୀ ଦୁଇ ରାଜ୍ୟର ସରକାରୀ ଯୋଜନାର ସୁବିଧା ପାଇ ଆସୁଛନ୍ତି।