କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଖୋଲା ଜନବିତର୍କ ପାଇଁ ଆହ୍ୱାନ କରିଛନ୍ତି। ବିଦେଶୀ ସଂଯୋଗ ପ୍ରସଙ୍ଗରେ ବିରୋଧୀ ଦଳକୁ “ଦେଶ ବିରୋଧୀ” ବୋଲି ଅଭିଯୋଗ କରାଯାଉଥିବାବେଳେ ପ୍ରଧାନମନ୍ତ୍ରୀ ତାଙ୍କ ବିରୋଧରେ ମାନହାନୀ ମାମଲା କାହିଁକି ଦାୟର କରିନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ରାହୁଲ କହିଛନ୍ତି, ଦେଶର ଯୁବପିଢ଼ି ଓ ଗଣମାଧ୍ୟମଙ୍କ ଉପସ୍ଥିତିରେ ଯେକୌଣସି ସ୍ଥାନରେ ଏହି ବିତର୍କ ହୋଇପାରିବ । ସେ କହିଛନ୍ତି ଯେ ଏହି ଖୋଲା ଆଲୋଚନାରେ ଦେଶର ଆର୍ଥିକ ବ୍ୟବସ୍ଥା, ଆମେରିକା-ଭାରତ ସମ୍ପର୍କ, ମନ୍ତ୍ରିମଣ୍ଡଳକୁ ଅବଗତ ନକରାଇ ନିଆଯାଇଥିବା ନିଷ୍ପତ୍ତି, ଆଦାନୀ ପ୍ରସଙ୍ଗ, ଜେଫ୍ରି ଏପଷ୍ଟିନ୍ ସମ୍ବନ୍ଧୀୟ ଅଭିଯୋଗ ଓ ଅନ୍ୟାନ୍ୟ ଜାତୀୟ ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବ। ବିତର୍କରେ ଯେକୌଣସି ବ୍ୟକ୍ତିଙ୍କୁ ବିଚାରକ ଭାବେ ନିଯୁକ୍ତ କରିବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି। ଏପଟେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ରାହୁଲଙ୍କ ପ୍ରସ୍ତାବକୁ ବ୍ୟଙ୍ଗ କରି କହିଛନ୍ତି ଯେ ଗମ୍ଭୀର ରାଜନୈତିକ ବିଷୟଗୁଡ଼ିକ ଉପରେ ପରିପକ୍ୱ ନେତାମାନେ ହିଁ ବିତର୍କ କରନ୍ତି। ରାହୁଲ ତେବେ ତୁରନ୍ତ ବିତର୍କର ତାରିଖ ଓ ସ୍ଥାନ ଘୋଷଣା କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଆହ୍ୱାନ କରିଛନ୍ତି।