ତାମିଲନାଡୁର ନୂତନ ମୁଖ୍ୟମନ୍ତ୍ରୀ ବିଜୟ ଥାଲାପତି ଏବେ ରାଜ୍ୟକୁ ମଦମୁକ୍ତ ଓ ନିଶାମୁକ୍ତ ପରିବେଶ ଗଠନ କରିବା ପାଇଁ ଏକ ବଡ ପଦକ୍ଷପ ନେଇଛନ୍ତି । ୭୧୭ଟି ମଦ ଦୋକାନକୁ ହଟାଯିବ । ଆସନ୍ତା ମଙ୍ଗଳବାର ଦିନ ରୁ ଆରମ୍ଭ କରି ଆଗାମୀ ଦୁଇ ସପ୍ତାହ ମଧ୍ୟରେ ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ ଓ ବସଷ୍ଟାଣ୍ଡର ୫୦୦ ମିଟର ପରିଧି ମଧ୍ୟରେ ଥିବା ସମସ୍ତ ସରକାରୀ ମଦ ଦୋକାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଥାଲାପତି। 
ତାମିଲନାଡୁ ଷ୍ଟେଟ୍ ମାର୍କେଟିଂ କର୍ପୋରେସନ୍ ଦ୍ୱାରା ପରିଚାଳିତ ମୋଟ ୪,୭୬୫ଟି ଦୋକାନ ମଧ୍ୟରୁ ବନ୍ଦ ହେବାକୁ ଥିବା ଦୋକାନଗୁଡ଼ିକ ମଧ୍ୟରୁ ୨୭୬ଟି ଉପାସନା ସ୍ଥଳ ନିକଟରେ, ୧୮୬ଟି ଶିକ୍ଷାନୁଷ୍ଠାନ ନିକଟରେ ଏବଂ ୨୫୫ଟି ବସଷ୍ଟାଣ୍ଡ ନିକଟରେ ଅବସ୍ଥିତ। ସରକାରୀ ବିବୃତ୍ତି ଅନୁଯାୟୀ, ଏହି ୭୧୭ଟି ଦୋକାନକୁ ଚିହ୍ନଟ କରାଯାଇଛି । ସୂଚନା ଅନୁଯାଇ, ନିଜର ନିର୍ବାଚନୀ ଇସ୍ତାହାରରେ ଟିଭିକେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ବିଜୟଙ୍କ ଏହି ନିଷ୍ପତ୍ତିକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି।