ବାଙ୍ଗ୍ଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଏବଂ ବିରୋଧୀ ବାଙ୍ଗ୍ଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତ୍ରୀ ବେଗମ୍ ଖାଲେଦା ଜିଆ ଦୀର୍ଘ ରୋଗଭୋଗ ପରେ ମଙ୍ଗଳବାର ୮୦ ବର୍ଷ ବୟସରେ ପରଲୋକରେ ଯାଇଛନ୍ତି। BNP ପକ୍ଷରୁ ଜଣାଇଦିଆଯାଇଛି ଯେ ସେ ଦୀର୍ଘ ସମୟ ଧରି ଗୁରୁତର ରୋଗରେ ପୀଡ଼ିତ ଥିଲେ। ଡାକ୍ତରମାନଙ୍କ ଅନୁସାରେ ଖାଲେଦା ଜିଆ ଲିଭର ସିରୋସିସ, ଆର୍ଥରାଇଟିସ, ଡାଏବେଟିସ, ଛାତି ଓ ହୃଦୟ ସମ୍ବନ୍ଧୀୟ ସମସ୍ୟାରେ ଭୁଗୁଥିଲେ। ଚିକିତ୍ସା ପାଇଁ ସେ ୨୦୨୫ ଆରମ୍ଭରେ ଲଣ୍ଡନ ଯାଇଥିଲେ ଏବଂ କିଛି ମାସ ରହି ଦେଶକୁ ଫେରିଥିଲେ। ୧୯୯୧ ମସିହାରେ ସେ ପ୍ରଥମେ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ଦୀର୍ଘ ସମୟ ଧରି ଶେଖ୍ ହାସିନାଙ୍କ ସହିତ ବାଙ୍ଗ୍ଲାଦେଶ ରାଜନୀତିରେ ପ୍ରତିଦ୍ୱନ୍ଦିତା କରିଥିଲେ। ଯଦିଓ ୨୦୦୬ ପରେ ସେ ଶାସନରେ ନଥିଲେ, ତଥାପି BNP ଉପରେ ତାଙ୍କର ପ୍ରଭାବ ଅବିଚଳିତ ରହିଥିଲା। ତାଙ୍କ ମୃତ୍ୟୁ ପରେ ବାଙ୍ଗ୍ଲାଦେଶରେ ତିନି ଦିନର ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି ଏବଂ ନମାଜ-ଏ-ଜନାଜା ଦିନ ସାଧାରଣ ଛୁଟି ଘୋଷିତ ହୋଇଛି। ଭାରତ ସହିତ ଅନେକ ଦେଶର ନେତାମାନେ ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି।