ଆବୁଧାବିରେ ହେବାକୁ ଥିବା ଶାନ୍ତି ଆଲୋଚନାର ମାତ୍ର ସପ୍ତାହକ ପୂର୍ବରୁ ରୁଷିଆ ୟୁକ୍ରେନର ଶକ୍ତି ଭିତ୍ତିଭୂମି ଓ ବିଦ୍ୟୁତ ଗ୍ରିଡ୍ ଉପରେ ବ୍ୟାପକ ମିସାଇଲ ଓ ଡ୍ରୋନ ଆକ୍ରମଣ କରିଛି। ଏହି ଆକ୍ରମଣରେ ଦେଶର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଥିବା ବେଳେ ଅନେକ ସ୍ଥାନରେ ଗୁରୁତର କ୍ଷତି ଘଟିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି ଯେ ରୁଷିଆର ପୂର୍ବ ଦିନର ବୋମାମାଡ଼ରେ ଏକ ସହାୟତା ବିତରଣ କେନ୍ଦ୍ରରେ ଅତି କମରେ ୩୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ପ୍ରାୟ ୫୦ ଜଣ ଲୋକ ଧ୍ୱଂସସ୍ତୂପ ତଳେ ଫସି ରହିଥିବା ଆଶଙ୍କା ରହିଛି। ରୁଷିଆ ଦାବି କରିଛି ଯେ ସେମାନେ ସାମରିକ ଲକ୍ଷ୍ୟବସ୍ତୁକୁ ଟାର୍ଗେଟ୍ କରିଥିଲେ। ଜାପୋରିଜ୍ଜିଆ ଅଞ୍ଚଳରେ ୨୫ ଜଣ ୟୁକ୍ରେନ ସେନା ସଦସ୍ୟ ନିହତ ହେବା ସହ ୧୫ଟି ଯାନ ଓ ଇଲେକ୍ଟ୍ରୋନିକ୍ ଯୁଦ୍ଧ କେନ୍ଦ୍ର ଧ୍ୱଂସ ହୋଇଥିବା ରୁଷିଆ କହିଛି। ବର୍ଲିନରେ ଜର୍ମାନ ଚାନ୍ସେଲର ଫ୍ରିଡ୍ରିକ୍ ମର୍ଜଙ୍କ ସହ ଆଲୋଚନା ପରେ ଜେଲେନସ୍କି କହିଛନ୍ତି ଯେ ଏହି ଆକ୍ରମଣ ରୁଷିଆ ଶାନ୍ତି ନୁହେଁ ବରଂ ହିଂସାକୁ ପସନ୍ଦ କରୁଥିବାର ପ୍ରମାଣ। ଏହା ସହ ସେ ରୁଷିଆକୁ ତୁରନ୍ତ ଯୁଦ୍ଧବିରତି ଏବଂ ଗମ୍ଭୀର ଶାନ୍ତି ଆଲୋଚନାରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି।