ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଜି ରବିବାର କେଉଁଝର ଜିଲ୍ଲାର ଘଟାଗାଁର ମାଆ ତାରିଣୀ ମନ୍ଦିର ପରିସରର ସମଗ୍ର ବିକାଶ ପାଇଁ ପ୍ରାୟ ୩୧୨ କୋଟି ଟଙ୍କାର ଯୋଜନାର ଶୁଭାରମ୍ଭ କରି ଶିଳାନ୍ୟାସ କଲେ। ସେ କହିଲେ, ମାଆଙ୍କ କୃପାରେ ଏହି ସୁଯୋଗ ମିଳିଛି ଏବଂ ଏହି ପୀଠରେ ସେବା କରିବା ତାଙ୍କ ପାଇଁ ଗୌରବର ବିଷୟ। ଏହି ପ୍ରକଳ୍ପ ପ୍ରାୟ ୧୮ ମାସ ଧରି ଧାରଣାରେ ଥିଲା ଓ ଏବେ ଆକାର ପାଇଛି। ଯୋଜନା ମାନେ ମନ୍ଦିର ପରିସରକୁ ଏକ ବିଶ୍ୱସ୍ତରୀୟ ତୀର୍ଥ ଏବଂ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା, ଯାହାକୁ ଏକ ବର୍ଷ ମଧ୍ୟରେ ସମାପ୍ତ କରିବା ଲକ୍ଷ୍ୟ। ପ୍ରକଳ୍ପର ମୁଖ୍ୟ ଅଂଶରେ ୨୧୬ ଶଯ୍ୟା ବିଶିଷ୍ଟ ଯାତ୍ରି ନିବାସ, ଇଣ୍ଟରପ୍ରେଟେସନ୍ ସେଣ୍ଟର୍, ଫୁଡ୍ ପ୍ଲାଜା, ଓୟାଚ ଟାୱର, ମାର୍କେଟ୍ କମ୍ପ୍ଲେକ୍ସ, ନାଡ଼ିଆ ଗୋଦାମ ଏବଂ ଏକ ବିଶାଳ ପ୍ରସାଦ ସେବନ ହଲ୍ ରହିବ, ଯେଉଁଠାରେ ଏକା ସମୟରେ ପ୍ରାୟ ୫୦୦ ଭକ୍ତ ଭୋଜନ କରିପାରିବେ। ଏହା ସହ ନୂତନ ରାସ୍ତା, ପାର୍କିଙ୍ଗ ଜୋନ୍, ଚାରିଟି ପୁଷ୍କରିଣୀର ସୁନ୍ଦରୀକରଣ, ଜୁତା ଘର, ପୋଶାକ ପରିବର୍ତ୍ତନ କକ୍ଷ, ଶୌଚାଳୟ ଓ ଡ୍ରାଇଭରମାନଙ୍କ ପାଇଁ ବିଶାମ ଘର ନିର୍ମାଣ ହେବ। ମୁଖ୍ୟମନ୍ତ୍ରୀ ମନ୍ଦିରର ଦେହୁରୀ ପୁଜାରୀମାନଙ୍କ ରହଣୀୟ ବ୍ୟବସ୍ଥାକୁ ମଧ୍ୟ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରିବାକୁ ଅଧିକାରୀମାନଙ୍କୁ ନିଦେଶ ଦେଲେ। ସେ କେଉଁଝର ଜିଲ୍ଲା ପାଇଁ ୩,୭୦୦ କୋଟି ଟଙ୍କାର ଅନ୍ୟାନ୍ୟ ପୂର୍ଭାଧାର ପ୍ରକଳ୍ପ ମଧ୍ୟ ଘୋଷଣା କଲେ, ଯେଉଁଥିରେ ବାର୍ବିଲରେ ୨,୩୦୦ କୋଟି ଟଙ୍କାର ଚାରି ଲେନ୍ ରିଙ୍ଗ୍ ରୋଡ୍, କେଉଁଝର ସହରର ବାଇପାସ ଓ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲକୁ ଯୋଗାଉଥିବା ନୂତନ ଚାରି ଲେନ୍ ରୋଡ୍ ଅନ୍ତର୍ଭୁକ୍ତ।