କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ (MeitY) ଅଧୀନରେ କାର୍ଯ୍ୟରତ ଇଣ୍ଡିଆ AI ମିଶନ ମଙ୍ଗଳବାର ତିନୋଟି ସ୍ୱଦେଶୀ ଫାଉଣ୍ଡେସନ ମଡେଲ EKA-1, Dhir 2B ଓ Dhir 5Bକୁ ଉନ୍ମୋଚନ କରିଛି। EKA-1କୁ Soket Labs Technology and Research ବିକଶିତ କରିଥିବାବେଳେ Dhir 2B ଓ Dhir 5Bକୁ Zenteiq AI Tech Innovations ପ୍ରସ୍ତୁତ କରିଛି। ଆଇଟି ସଚିବ ଏସ୍. କୃଷ୍ଣନ, ମନ୍ତ୍ରଣାଳୟ ଅଧିକାରୀ ଓ IndiaAI ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ମଡେଲଗୁଡ଼ିକ ଲୋକାର୍ପିତ ହୋଇଥିଲା। IndiaAI ମିଶନ ଅଧୀନରେ ଏହା ଦେଶର ସ୍ୱଦେଶୀ AI କ୍ଷମତା ବିକାଶରେ ଏକ ବଡ଼ ମାଇଲଖୁଣ୍ଟ ବୋଲି କୁହାଯାଉଛି। Dhir 2B ଓ Dhir 5B ଅଫଲାଇନ୍ ପରିବେଶରେ କାର୍ଯ୍ୟକ୍ଷମ ହୋଇ ଡକ୍ୟୁମେଣ୍ଟ ଆଧାରିତ ସୂଚନା ପରିଚାଳନା, ନାଗରିକ ସେବା, ପ୍ରତିରକ୍ଷା, ସରକାରୀ ଓ ଶିଳ୍ପ କ୍ଷେତ୍ରରେ ବ୍ୟବହାରଯୋଗ୍ୟ। EKA-1ରେ ୨୬.୩ ବିଲିୟନ ପାରାମିଟର ରହିଥିବାବେଳେ ଏହାକୁ ୭.୫ ଟ୍ରିଲିୟନ ଟୋକେନ ଉପରେ ପ୍ରଶିକ୍ଷଣ ଦିଆଯାଇଛି। ଏହା ୨୨ଟି ଭାରତୀୟ ଭାଷା ସହ ଇଂରାଜୀକୁ ସମର୍ଥନ କରିବା ସହ ଗଣିତ, କୋଡିଂ, ଯୁକ୍ତିତର୍କ ଓ ଏଜେଣ୍ଟିକ୍ କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇଛି।