ଲଗାଣ ବର୍ଷା ଓ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ଯୋଗୁଁ ବିହାରର ବନ୍ୟା ପରିସ୍ଥିତି ଗୁରୁତର ହୋଇପଡ଼ିଛି। ରାଜ୍ୟର ୧୨ଟି ଜିଲ୍ଲାରେ ୨୨ ଲକ୍ଷରୁ ଅଧିକ ଲୋକ ବନ୍ୟା ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଗଙ୍ଗା, କୋଶୀ, ଗଣ୍ଡକ, ବାଘମତୀ ଓ ଘାଘରା ସମେତ ଅନେକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ପାଟନା ସମେତ ଭୋଜପୁର, ସାରଣ, ବୈଶାଳୀ, ବେଗୁସରାଇ, ସମସ୍ତିପୁର, ମୁଙ୍ଗେର ଓ କାଟିହାର ଜିଲ୍ଲା ବେଶି ପ୍ରଭାବିତ ହୋଇଛନ୍ତି। ଉଦ୍ଧାର ପାଇଁ ୧୯୦ଟି ସାମୁଦାୟିକ ରନ୍ଧନଶାଳା ଏବଂ ୧,୪୨୯ଟି ଡଙ୍ଗା ନିୟୋଜିତ କରାଯାଇଛି। ଏନଡିଆରଏଫ ଓ ଏସଡିଆରଏଫର ମୋଟ ୯୯ଟି ଟିମ୍ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପ୍ରଶାସନ ନଦୀ କୂଳବର୍ତ୍ତୀ ଲୋକଙ୍କୁ ସତର୍କ ରହିବାକୁ ଓ ଅନାବଶ୍ୟକ ଭାବେ ଜଳାଶୟ ନିକଟକୁ ନଯିବାକୁ ପରାମର୍ଶ ଦେଇଛି।