ନେପାଳର ବୈଦେଶିକ ମନ୍ତ୍ରୀ ଶିଶିର ଖାନାଲ ଭାରତ ସହ ଲାଗି ରହିଥିବା ସୀମା ବିବାଦର ସମାଧାନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀ ଗସ୍ତ ଅବସରରେ ସେ ସ୍ପଷ୍ଟ କରିଛନ୍ତି ଯେ, କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ବିନା ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରାଯିବ। ଖାନାଲ କହିଛନ୍ତି ଯେ, ନେପାଳ ଏବଂ ଭାରତ ମଧ୍ୟରେ ଥିବା ସମ୍ପର୍କକୁ ଆର୍ଥିକ ରୂପାନ୍ତର, କନେକ୍ଟିଭିଟି ଏବଂ ଶକ୍ତି ସହଯୋଗ ମାଧ୍ୟମରେ ଆଗକୁ ବଢ଼ାଇବାକୁ ସରକାର ଚାହାଁନ୍ତି। ଲିପୁଲେଖ, କଳାପାଣି ଏବଂ ଲିମ୍ପିୟାଧୁରାକୁ ନେଇ ନେପାଳର ପୁରୁଣା ଦାବି ରହିଥିଲେ ମଧ୍ୟ ସେ ଏହି ପ୍ରସଙ୍ଗରେ ତଥ୍ୟ-ଆଧାରିତ ଆଲୋଚନା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ଭାରତକୁ ଏକ ଗତିଶୀଳ ଅର୍ଥନୈତିକ ଶକ୍ତି ଭାବେ ବର୍ଣ୍ଣନା କରିବା ସହ ଦୁଇ ଦେଶ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ନେଇ ଆଶା ପ୍ରକାଶ କରିଛନ୍ତି।